୨୦୧୯ ସ୍ୱପ୍ନକୁ ରାହୁଲଙ୍କ ପ୍ରତ୍ୟାଖାନ !

ଭୁବନେଶ୍ୱର: ସରକାରୀ ଦଳକୁ ହରାଇବା ପାଇଁ ମିଳିତ ବିରୋଧିଦଳ ବାରମ୍ୱାର ପ୍ରୟାସ କରୁଛଉନ୍ତି। ଗତ ୯ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଶାସକ ବିଜେପିକୁ ହରାଇବାର ସୁଯୋଗ ଆସିଥିଲେ ହେଁ ଏହାର ନେତୃତ୍ୱ ନେଉଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆତ୍ମଗର୍ବ ଯୋଗୁଁ ତାହା ପାଣି ଫୋଟକା ଭଳି ମିଳାଇଯାଇଛି। ମିଳିତ ବିରୋଧିଦଳର ପ୍ରୟାସରେ ୨୦୧୯ରେ ଶାସକ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା ତାହାକୁ ରାହୁଲ ଗାନ୍ଧୀ ପ୍ରତ୍ୟାଖାନ କରିଦେଇଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ରାଜ୍ୟସଭାରେ କଂଗ୍ରେସର ୪୧ବର୍ଷ ଧରି ରହିଥିବା ପ୍ରଭାବ ଅନ୍ତ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ବିରୋଧି ଥିବା ବିଜେଡି, ଶିବସେନା, ତେଲେଙ୍ଗାନା ରାଷ୍ଟ୍ରସମିତି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବାବେଳେ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ, ଅରବିନ୍ଦ କେଜ୍ରିୱାଲଙ୍କ ଆପ ଭୋଟ ଦାନରୁ ବିରତ ରହିଥିଲା। ଏହିସବୁ ଦଳ ବିଜେପି ବିରୋଧି ଭାବେ ଜଣାଶୁଣା ଓ ତୃତୀୟ ସାମ୍ମୁଖ୍ୟ ଗଠନ ସପକ୍ଷରେ ଯୁକ୍ତି କରିଆସୁଛନ୍ତି। ରାହୁଲ ଗାନ୍ଧୀ ଏହିସବୁ ଦଳକୁ ନିଜ ସାଥିରେ ନେବାରେ ବିଫଳ ହେବାରୁ ରାଜ୍ୟସଭାରେ କଂଗ୍ରେସର ୪୧ବର୍ଷ ଧରି ରହିଥିବା ପ୍ରଭାବର ଅନ୍ତ ହୋଇଛି। ରାଜ୍ୟସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ନଥିବା ପରେ ମଧ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ସହଜରେ ହାସଲ କରିନେଇଛି।

କଂଗ୍ରେସ ମେଣ୍ଟରେ ଫାଟ

 

ଏନଡିଏ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିବାରେ କାରଣ ହେଉଛି, ବିଜେପି ଜିତିବା ପାଇଁ ନିର୍ବାଚନ ଲଢୁଛି। ଉପନିର୍ବାଚନ ହେଉ କି, ଅବିଶ୍ୱାସ ପ୍ରସ୍ତାବ ବା ସମ୍ୱିଧାନିକ ପଦବୀ ନିର୍ବାଚନ ହେଉ ସବୁବେଳେ ବିଜେପି ଗୁରୁତ୍ୱ ଦେଇ ଲଢୁଛି। ଏଥିପାଇଁ ଯେ କୌଣସି ପଦକ୍ଷେପ ନେବାକୁ ବିଜେପି ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପ୍ରମାଣିତ କରିଛନ୍ତି। ରାହୁଲ ଗାନ୍ଧୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ କଥା ହେବାକୁ ପସନ୍ଦ କରିନଥିବାବେଳେ ମୋଦି-ଶାହା ତାଙ୍କର ଶତ୍ରୁ ନବୀନ ପଟ୍ଟନାୟକ, ଉଦ୍ଧବ ଠାକରେ, କେ. ଚନ୍ଦ୍ରଶେଖର ରାଓଙ୍କ ସହିତ ଆଲୋଚନା କରି କଂଗ୍ରେସ ମେଣ୍ଟରେ ଫାଟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

ବିରୋଧି ଏକତା ଇନ୍ଦ୍ରଧନୁ ପରି ରଙ୍ଗୀନ

ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧି ଏକତା ଇନ୍ଦ୍ରଧନୁ ପରି ରଙ୍ଗୀନ ଲାଗୁଥିଲେ ହେଁ ବାସ୍ତବରେ ଏହା ଏକ ଦୁଃସ୍ୱପ୍ନରେ ପରିଣତ ହୋଇଛି। ଅତୀତରୁ ବିରୋଧି ଦଳ କିଛି ଶିକ୍ଷା ଲାଭ କରିପାରିନାହିଁ। କେହି କାହାକୁ ମାନିବା ସ୍ଥିତିରେ ନଥିବାରୁ ଏକତାରେ ସନ୍ଦେହ ସୃଷ୍ଟି ହୋଇଛି।
ବିଜେପିକୁ କ୍ଷମତାରୁ ହଟାଇବାକୁ ହେଲେ ବିରୋଧିଦଳକୁ ଏକାଠି କରି ଲଢିବା ପାଇଁ କଂଗ୍ରେସ ଏଦିଗରେ ଆଗେଇ ଆସିବା କଥା। କାରଣ ବିଜେପି ନିର୍ବାଚନ କଥା କହିଲେ ପ୍ରତ୍ୟେକ ଆସନରେ ପ୍ରତ୍ୟେକ ଭୋଟକୁ ନେଇ ହିସାବ କରୁଛି।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ହରାଇବା ପାଇଁ ମିଳିତ ବିରୋଧିଦଳ ପକ୍ଷରୁ ପ୍ରଥମେ ଚିନ୍ତା କରାଯାଇଥିଲା। ଏଥିପାଇଁ ସମସ୍ତ ଦଳର ସମର୍ଥନ ପାଇବାକୁ କଂଗ୍ରେସ ବ୍ୟତୀତ ଅନ୍ୟଦଳର ପ୍ରାର୍ଥୀ ଛିଡା କରାଇବା ପାଇଁ ସ୍ଥିର କରାଯାଇଥିଲେ ହେଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ଦିଗରେ କିଛି ପଦକ୍ଷେପ ନେଇନଥିଲେ। ଏପରି କି ବିଜେପି ବିରୋଧି ଦଳମାନଙ୍କ ସହିତ ଆଲୋଚନା ମଧ୍ୟ କରିନଥିଲେ। ପରିଣାମ ସ୍ୱରୁପ ନିର୍ବାଚନର ଶେଷ ଦିନ ପର୍ଯ୍ୟନ୍ତ ବିରୋଧିଦଳ ତରଫରୁ ମିଳିତ ପ୍ରାର୍ଥୀ ଦିଆଯାଇପାରିଲା ନାହିଁ। କଂଗ୍ରେସ ପ୍ରାର୍ଥୀ ବି. କେ ହରିପ୍ରସାଦଙ୍କୁ ବିଜେଡି, ଟିଆରଏସ, ଶିବସେନା, ଆପ, ୱାଇଏସଆର କଂଗ୍ରେସ ଭଳି ଦଳମାନେ ସମର୍ଥନ କରିପାରିଲେ ନାହିଁ।

କିନ୍ତୁ ବିଜେପି ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରି ବିଜେପି ବିଜେଡି, ଟିଆରଏସ, ଶିବସେନା ଭଳି ଦଳର ସମର୍ଥନ ହାସଲ କରିବାରେ ସଫଳ ହେଲା। କେବଳ ସେତିକି ନୁହେଁ ନିଜ ଦଳର ସମସ୍ତ ସାଂସଦ ଯେପରି ଭୋଟ ଦେବେ ତାହାକୁ ସଫଳ ମଧ୍ୟ କଲା। କିନ୍ତୁ କଂଗ୍ରେସ ମେଣ୍ଟର ସହଯୋଗୀ ଡିଏମକେର ୨ଜଣ ଓ ଟିଏମୗିର ଜଣେ ସାଂସଦ ଭୋଟ ଦେଇନଥିଲାବେଳେ ଆପ, ୱାଇଏସଆର କଂଗ୍ରେସ ଭଳି ଭୋଟ ଦାନରୁ ବିରତ ରହିଲା। ଫଳରେ ଏନଡିଏ ପ୍ରାର୍ଥୀ ୧୨୫ଭୋଟ ପାଇଥିଲାବେଳେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୦୧ ଭୋଟ ପାଇଛନ୍ତି।

କେଜ୍ରିୱାଲ କ୍ଷୁବ୍ଧ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯେଭଳି ଅରବିନ୍ଦ କେଜ୍ରିୱାଲଙ୍କ ସହିତ ବ୍ୟବହାର କରିଛନ୍ତି ସେଥିରେ ଆପ କ୍ଷୁବ୍ଧ ହୋଇଛି। ଆଗାମୀ ଦିନରେ କଂଗ୍ରେସ ସହିତ ଆପର କୌଣସି ମେଣ୍ଟ ହେବ ନାହିଁ ବୋଲି ଦଳୀୟ ନେତା ସଂଜୟ ସିଂହ ଘୋଷଣା କରିଛନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ମେଣ୍ଟ ସେତିକି ଦୁର୍ବଳ ହେବାରେ ଲାଗିଛି। ଏହି ଦଳମାନଙ୍କୁ ସାଥିରେ ନେଇ ନିର୍ବାଚନ ଲଢିବା ପାଇଁ ରାହୁଲ ଗାନ୍ଧୀ ଅନିଛୁକ ବୋଲି ପ୍ରମାଣିତ ହେବାରେ ଲାଗିଛି।

ତେଣୁ ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ କୋଳାଗ୍ରତ କଲାଭଳି ୨୦୧୯ ସ୍ୱପ୍ନକୁ କୋଳାଗ୍ରତ କରି ପ୍ରତିଦ୍ୱନ୍ଦ୍ୱୀତାରୁ ଓହରିଗଲେ ବୋଲି ଆଲୋଚନା ହେଉଛି।

Add a Comment

Your email address will not be published. Required fields are marked *


seven + = 13