ହତଭାଗା ଭାଗଚାଷୀ : ୬ ବର୍ଷ ବିତିଲା ଭାଗଚାଷୀ ଆଇନ ନୋହିଲା

ଭୁବନେଶ୍ୱର: ରାଜ୍ୟରେ ଭାଗଚାଷୀଙ୍କ ଭାଗ୍ୟ ଉଦୟ ହେବ ଏବଂ ସରକାର ତାଙ୍କ ପାଇଁ ନୂଆ ଆଇନ ଆଣିବେ ବୋଲି ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା ତାହା ମଳିନ ପଡ଼ିଛି।  ଦୀର୍ଘ ଛଅବର୍ଷ ପରେ ଏ ବାବଦରେ ଏକ ନକାରାତ୍ମକ ଭାବନା ପ୍ରକାଶ କରିଛନ୍ତି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି। ସଚିବାଳୟଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାନ୍ତି କହିଛନ୍ତି, ଆଇନ ଆସିବାରେ ଆହୁରି ବିଳମ୍ବ ହୋଇପାରେ। ଉଭୟ ଭାଗଚାଷୀ ଏବଂ ଜମି ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ଚାଲିଥିବା ଉଦ୍ୟମ କୌଣସି ନିର୍ଯାସରେ ପହଞ୍ଚିପାରି ନାହିଁ।

୨୦୧୨ ମସିହାରୁ ଓଡ଼ିଶା ଭୂ-ସଂସ୍କାର ଆଇନରେ ସଂଶୋଧନ ଆଣି ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ଉଦ୍ୟମ ହୋଇ ଆସୁଛି। ୨୦୧୬ ମସିହାରୁ ଏଥିପାଇଁ ଏକ ସ୍ୱତନ୍ତ୍ର ଆଇନ ଆସିବ ବୋଲି ସରକାର ଘୋଷଣା କରି ରାଜସ୍ୱମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଥିଲେ । ଏହି ମନ୍ତ୍ରିସ୍ତରୀୟ କମିଟି ଏ ଭିତରେ ଓଡ଼ିଶା ଭାଗଚାଷୀ ଆଇନର ଡ୍ରାଫ୍ଟରୂପକୁ ପ୍ରସ୍ତୁତ କରି ଆଇନ ବିଭାଗକୁ ସମୀକ୍ଷା ପାଇଁ ପାଠାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ଶେଷଥର ପାଇଁ ୨୦୧୭, ଜୁନ୍-୧ ତାରିଖରେ ବସିଥିବା ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ କିନ୍ତୁ ସବୁକିଛି ନୀରବ ହୋଇଯାଇଛନ୍ତି। ଏ ଭିତରେ ସରକାର ଭାଗଚାଷୀଙ୍କୁ ଆପାଦକାଳୀନ ସମୟରେ ଫସଲ କ୍ଷତି ସହାୟତା ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ସେମାନଙ୍କୁ ଆଇନଗତ ମର୍ଯ୍ୟାଦା ମିଳିପାରି ନାହିଁ।

ସ୍ୱତନ୍ତ୍ର ଭାବେ ଓଡ଼ିଶା ଭାଗଚାଷୀ ଆଇନ ଆସିଲେ ଜମି ମାଲିକ ଏବଂ ଭାଗଚାଷୀଙ୍କ ଭିତରେ ଏକ ଲିଖିତ ବୁଝାମଣା ହେବା ନିୟମ ଉଲ୍ଲେଖ ରହିଥିଲା। ଏହି ବୁଝାମଣା ଅନୁସାରେ ଚାଷ ଉତ୍ପାଦ ଉପରେ କାହାର କେତେ ଭାଗ ରହିବ ତାହା ସ୍ଥିର ହେବ। ଏହାବାଦ୍ ଭାଗଚାଷୀ ଏହି ଦଲିଲକୁ ବ୍ୟାଙ୍କ୍ରେ ଦେଖାଇ ଚାଷଋଣ ସଂଗ୍ରହ କରିପାରିବ। ସରକାରଙ୍କ ପକ୍ଷରୁ ଚାଷ ପାଇଁ ମିଳୁଥିବା ସମସ୍ତ ଇନ୍ପୁଟ୍ ସବ୍ସିଡି ସୁବିଧା ସହ ବୀମା କମ୍ପାନୀଙ୍କଠାରେ ନିଜ ଫସଲ ପାଇଁ ବୀମା ପଞ୍ଜୀକରଣ କରାଇପାରିବା ବ୍ୟବସ୍ଥା ଥିଲା। ନିତି ଆୟୋଗଙ୍କ ପରାମର୍ଶ ଅନୁସାରେ ଏହି ଡ୍ରାଫ୍ଟ ବିଧେୟକ ପ୍ରସ୍ତୁତ ହୋଇଥିଲା। ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ଭାବେ ଦୁଇ ପକ୍ଷଙ୍କ ଭିତରେ ବୁଝାମଣା ଧାରାକୁୁ ଯୋଡ଼ିବା ପାଇଁ ଦାବି କରାଯାଇଥିଲା। ନିତି ଆୟୋଗ ଏହାକୁ ଅନୁମୋଦନ କରିଥିଲେ ମଧ୍ୟ ତାହା ବାସ୍ତବ ହୋି ପାରି ନାହିଁ।

ଏ ଭିତରେ ରାଜସ୍ୱମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ମହେଶ୍ୱର ମହାନ୍ତି ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ମଧ୍ୟ ପୂର୍ବରୁ ଏହି ଆଇନ ଯଥାଶୀଘ୍ର ଆସିବ ବୋଲି ୨୦୧୭ ମସିହାରେ କହିଥିଲେ। ଏପରିକିି ଗତବର୍ଷ ମୌସୁମୀଋତୁରେ ଏହି ଆଇନ ଓଡ଼ିଶା ଦେଖିବ ବୋଲି ସ୍ଥିର ହୋଇଥିଲା। ହେଲେ ଏବର୍ଷର ମୌସୁମୀ ଅଧିବେଶନ ସରିଥିଲେ ମଧ୍ୟ ଓଡ଼ିଶାର ଭାଗଚାଷୀ ଏକ ନୂଆ ସକାଳ ଦେଖିବାରୁ ବିରତ ହୋଇଛନ୍ତି। ଜମି ମାଲିକଙ୍କ ପ୍ରଭାବରେ ଏହି ଆଇନ ବାସ୍ତବ ହୋଇ ପାରୁ ନାହିଁ ବୋଲି ଆଲୋଚନା ଚାଲିଛି। ଏ ବାବଦରେ ରାଜସ୍ୱମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରି କିଛି ଶବ୍ଦ କହିବାକୁ ଡରୁଛନ୍ତି। ଏପରିକି ଗୁରୁବାରଦିନ ସାମ୍ବାଦିକଙ୍କ ପ୍ରଶ୍ନରେ ସେ ପ୍ରସଙ୍ଗକୁ ଏଡ଼ାଇଯିବା ପାଇଁ ଉଦ୍ୟମ କରିଥିଲେ।

Add a Comment

Your email address will not be published. Required fields are marked *


− one = 1