ଆଗୁଆ ନିର୍ବାଚନକୁ ଯାଇପାରେ ବିଜେଡି ସରକାର

ଭୁବନେଶ୍ୱର:  ବିଜେଡି ସରକାର ଆଗୁଆ ନିର୍ବାଚନକୁ ଯାଇପାରନ୍ତି । କେନ୍ଦ୍ରର ବିଜେପି ନେତୃତ୍ବାଧିନ ସରକାର ଆଗୁଆ ସାଧାରଣ ନିର୍ବାଚନ ନେଇ ଦ୍ବନ୍ଦରେ ଥିବା ବେଳେ ଓଡିଶାରେ ଆଗୁଆ ର୍ନିବାଚନ ହେବାନେଇ ଗନ୍ଧ ବାରିଛନ୍ତି ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀମାନେ ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ ବିଜେଡି ଦଳର ହାବଭାବରୁ ଏହା ବାରିଛନ୍ତି କେନ୍ଦ୍ରୀୟ କର୍ତ୍ତୃପକ୍ଷ । ତାହାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରିବାରେ ଲାଗିଛନ୍ତି । ଯଦି ବିଜେଡି ଆଗତୁରା ନିର୍ବାଚନ କରିବାକୁ ପଦକ୍ଷେପ ନିଏ ତେବେ ଯେଭଳି କୌଣସି ଅସୁବିଧା ହେବନାହିଁ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚାଲିଛି।

ବିଜେଡି ସରକାର ମଧ୍ୟ ଅନୁରୂପ ଢଙ୍ଗରେ କାର୍ଯ୍ୟ କରୁଛନ୍ତି । ସ୍ବାଧୀନତା ଦିବସରୁ ବିଜୁ ସ୍ବାସ୍ଥ୍ୟ ଯୋଜନା, ଗାନ୍ଧୀଜୟନ୍ତୀରୁ ଖାଦ୍ୟ ସୁରକ୍ଷା ଭଳି ବୃହତ୍‍ ଯୋଜନା ଆରମ୍ଭ କରିବାକୁ ଯାଉଥିବାବେଳେ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ବର୍ଷାକାଳୀନ ବିଧାନସଭା ଅଧିବେଶନରେ ପ୍ରଥମ ଅତିରିକ୍ତ ବଜେଟ୍‍ ଆଣିବାଲାଗି ପ୍ରସ୍ତୁତି ଚାଲିଛି । ଏହାବାଦ୍‍ ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ଜିଲ୍ଲା ଗସ୍ତ ସହିତ ପ୍ରତିଦିନ କିଛି ନା କିଛି ନୂତନ କାର୍ଯ୍ୟକ୍ରମ ଘୋଷଣା ହେବାରେ ଲାଗିଛି । କେଉଁଠି ଉଦ୍‍ଘାଟନ ତ ଆଉ କେଉଁଠି ଶିଳାନ୍ୟାସ । ସମୟ ଅଭାବରୁ ଅଧିକାଂଶ କାର୍ଯ୍ୟ ଭିଡିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ହେଉଛି।

ବିଜେଡି ତାହାର କ୍ୟାଡର ମାନଙ୍କୁ ସକ୍ରିୟ କରିବାରେ ଲାଗିଛି । ଗତ କିଛିଦିନ ଧରି ବିଜୁ ଯୁବ ବାହନିନୀକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି । ବୃକ୍ଷରୋପଣ ଠାରୁ ଆରମ୍ଭକରି ରକ୍ତ ଦାନ ପର୍ଯ୍ୟନ୍ତ ସବୁଠାରେ ବିଜୁ ଯୁବବାହୀନି ଲାଗି ପଡିଛନ୍ତି । ଦଳର ବିଧାୟକମାନେ ମଧ୍ୟ ନିଜ ନିଜ ଅଞ୍ଚଳର ବିଭିନ୍ନ ସ୍ଥାନକୁ ଘନ ଘନ ଗସ୍ତ କରୁଛନ୍ତି । ପ୍ରତି ସପ୍ତାହରେ ଆମ ଗାଁ ଆମ ବିକାଶ ଭଳି କାର୍ଯ୍ୟକ୍ରମ ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ବ୍ୟବସ୍ଥା ହୋଇଛି । ଏଥି ସହିତ ମିଶ୍ରଣ ପର୍ବ ବି ଚାଲିଛି ।

ଅନ୍ୟ ପକ୍ଷରେ ବିଜେପି ଏବେ ତାହାର କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଅନାଇ ବସିଛି । କେନ୍ଦ୍ରୀୟ ବିଜେପି ନେତାମାନେ ୨୦୧୯ରେ ନିର୍ବାଚନକୁ ଯିବେ କିମ୍ବା ଡିସେମ୍ବର ମାସରେ ହେବାକୁ ଥିବା ରାଜସ୍ଥାନ,ମଧ୍ୟପ୍ରଦେଶ, ମିଜୋରାମ ଓ ଛତିଶଗଡ ସହିତ ଏକାଠି ନିର୍ବାଚନ କରିବେ ସେଥିନେଇ ଦ୍ବନ୍ଦରେ ଅଛନ୍ତି । ଆଗୁଆ ନିର୍ବାଚନ ସବୁବେଳେ ବିଜେପିକୁ ଅଡୁଆ ହେଉଥିବାବେଳେ ଯଦି ଏହି ୪ଟି ରାଜ୍ୟରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ହୁଏ ତେବେ ତାହାର କୁପ୍ରଭାବ ସାଧାରଣ ର୍ନିବାଚନ ଉପରେ ପଡିବବୋଲି ଦଳୀୟ ନେତାମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ତେବେ ସିଏ ଯାହାହେଉନା କାହିଁକି ବିଜେଡି ଯେ ନିର୍ବାଚନ ପାଇଁ ପୂରା ଦମରେ ପ୍ରସ୍ତୁତି ଚଳାଇଛି ତାହା ଜଳ ଜଳ ହୋଇ ଦିଶୁଛି । ଗୋଟିଏ ପଟେ ଜିଲ୍ଲାଗସ୍ତ, ଯୋଜନା ଘୋଷଣା, ଉଦ୍‍ଘାଟନ୍‍, ଶିଳାନ୍ୟାସ ଆଦିର ଜୋରଦାର ପ୍ରଚାର ହେଉଥିବାବେଳେ ଅନ୍ୟପଟେ ଚୁପ୍‍ଚାପ୍‍ ଚାଲିଛି ପ୍ରାର୍ଥୀ ଚୟନ । କେଉଁ ନିର୍ବାଚନ ମଣ୍ଡଳୀରୁ କିଏ ରହିବ ଆଉ କିଏ ଶେଷ ମୂହୂର୍ତ୍ତରେ ବିଦା ହେବ ତାହାର ବ୍ଲୁ ପ୍ରିଣ୍ଟ ବି ପୂରାଦମରେପ୍ରସ୍ତୁତ ଚାଲିଛି ।

Add a Comment

Your email address will not be published. Required fields are marked *


− 4 = one