ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ କଂଗ୍ରେସ ଭିତରେ ବି ବିରୋଧ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଲାଖୋଲି ଅନେକ ସଭାରେ ନିଜ ଭିତରେ ଥିବା ପ୍ରଧାନମନ୍ତ୍ରୀ ହେବାର ଅଭିଳାଷକୁ ଉଲ୍ଲେଖ କରିଛନ୍ତି। ସେ ଅନେକ ଥର କହିଛନ୍ତି ଦଳ ଚାହିଁଲେ ମୁଁ ହିଁ ପ୍ରଧାନମନ୍ତ୍ରୀ ହେବି। ତେବେ ରାହୁଳଙ୍କ ଏହି ପ୍ରଧାନମନ୍ତ୍ରୀ ହେବା ଘୋଷଣାକୁ ଯଦିଓ ପୂର୍ବରୁ କୌଣସି ଦଳୀୟ ନେତା ସମର୍ଥନ କି ବିରୋଧ କରିନଥିଲେ ହେଲେ ଏବେ ସାଂପ୍ରତିକ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ବରିଷ୍ଠ ନେତା ଏହାକୁ ବିରୋଧ କରିବା ଆରମ୍ଭ କଲେଣି। ସେମାନଙ୍କର ଯୁକ୍ତି ହେଉଛି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଳଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାନଯାଉ।

ବିଜେପିର ବିଜୟ ରଥକୁ ରୋକିବା ପାଇଁ କଂଗ୍ରେସ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ହେଲେ ଦୁର୍ବଳ ନେତୃତ୍ୱ କାରଣରୁ କଂଗ୍ରେସ ମଧ୍ୟ ହୃଦବୋଧ କରିସାରିଲାଣି ଯେ ଆଞ୍ଚଳିକ ଦଳମାନଙ୍କର ସହଯୋଗ ଓ ସମର୍ଥନ ବିନା ବିଜେପିକୁ ରୋକିହେବ ନାହିଁ। ଏଥିପାଇଁ କଂଗ୍ରେସ ବିଶେଷ କରି ମୁଖିଆ ରାହଲ ଗାନ୍ଧୀ ମହାମେଣ୍ଟର ଉଦ୍ୟମକୁ ଜୋରଦାର କରିଛନ୍ତି। ଅନେକ ସଭାରେ ଗୋଟିଏ ମଞ୍ଚରେ ଅଣ ବିଜେପି ଦଳର ମୁଖିଆମାନଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଛି। ହେଲେ ମେଣ୍ଟର ରୂପରେଖ ଚୂଡ଼ାନ୍ତ ହୋଇପାରୁନାହିଁ। ବିଶେଷ କରି ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି) କଂଗ୍ରେସ ସହ ଏକାଠି ଲଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ ବିଏସପି ସହ ଏକାଠି ଲଢ଼ିବାର ଆଗ୍ରହ ଦେଖାଇଥିଲା ବେଳେ ବିଏସପି କଂଗ୍ରେସକୁ ଦେଇଛି ବଡ଼ ଝଟକା। ସେହିପରି ଛତିଶଗଡ଼ରେ ବିଏସପି କଂଗ୍ରେସ ସହ ମେଣ୍ଟ ନକରି ପୂର୍ବ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଦଳ ଏବଂ ସିପିଆଇ ସହ ମିଶି ନିର୍ବାଚନ ଲଢ଼ିବାର ଘୋଷଣା କରିଛି। ଅନ୍ୟପଟେ ଅନେକ ଅଣବିଜେପି ଦଳର ନେତା ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବାର ଯୁକ୍ତି ବାଢ଼ୁଛନ୍ତି।

ଯଦି ମହାମେଣ୍ଟ ହୁଏ ତେବେ ରାହୁଳଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବା ଠିକ ହେବ ନାହିଁ ବୋଲି ଏନସିପି ନେତା ଶରଦ ପାୱାରଙ୍କଠାରୁ ଆରମ୍ଭ କରି ମମତା ବାନାର୍ଜୀ ମଧ୍ୟ ଇଙ୍ଗିତ ଦେଇସାରିଲେଣି। ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏକପ୍ରକାର ରାହୁଲଙ୍କ ସପକ୍ଷରେ ନାହାନ୍ତି। ତେଣୁ ଏହିସବୁ ଘଟଣାବଳୀକୁ କଂଗ୍ରେସର ବରିଷ୍ଠ ନେତାମାନେ ହୃଦବୋଧ କରିସାରିଲେଣି। ଯଦି କଂଗ୍ରେସ ପକ୍ଷରୁ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯାଏ ତେବେ ମହାମେଣ୍ଟ ଆଦୌ ସମ୍ଭବ ହେବ ନାହିଁ ବୋଲି ସେମାନେ ବୁଝିସାରିଲେଣି। ଯେଉଁ କାରଣରୁ ଏବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲଙ୍କ ନାମକୁ ଘୋଷଣା କରାଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏଥିରୁ ବୁଝାପଡୁଛି ଯେ, ରାହୁଲଙ୍କୁ ନେଇ କଂଗ୍ରେସ ଭିତରେ ଦ୍ୱନ୍ଦ୍ୱ ବଢ଼ୁଛି।

ଗତକାଲି ୨୦୧୯ଲୋକସଭା ନିର୍ବାଚନକୁ ନେଇ ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ ବଡ଼ ସୂଚନା ଦେଇଛନ୍ତି। ସାଧାରଣ ନିର୍ବାଚନକୁ ନଇ ମତ ରଖି ସେ କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବ ନାହିଁ। ଏଥିସହ ସେ ସ୍ପଷ୍ଟ କରିଛନ୍ତି ଯେ, ଦଳ ଅନ୍ୟ କାହାରି ନାମ ମଧ୍ୟ ଏହି ପଦ ପାଇଁ ଆଗକୁ ଆଣିବ ନାହିଁ। ଚିଦାମ୍ୱରମ କହିଛନ୍ତି ଯେ, ଗତ ୨୦ବର୍ଷ ଧରି ରାଷ୍ଟ୍ରୀୟ ଦଳମାନଙ୍କର ଭୋଟବ୍ୟାଙ୍କକୁ ପ୍ରଭାବିତ କରି ଆଞ୍ଚଳିକ ଦଳମାନେ ନିଜ ସ୍ଥିତିକୁ ମଜବୁତ କରିଛନ୍ତି।

ବିଜେପି ଏବଂ କଂଗ୍ରେସର ମୋଟ ଭୋଟ ସେୟାର ୫୦ଞ୍ଝରୁ କମ ରହିଛି। କେନ୍ଦ୍ରରେ ଥିବା ବିଜେପି ସରକାର ପୂରା ଦମରେ ଚେଷ୍ଟା ଚଳାଇଛି ଯେ, ଆଞ୍ଚଳିକ ଦଳମାନେ କଂଗ୍ରେସ ସହ ହାତ ନମିଳାନ୍ତୁ। ଯଦି ଆଞ୍ଚଳିକ ଦଳ ଏବଂ କଂଗ୍ରେସ ମଧ୍ୟରେ ନିର୍ବାଚନୀ ମେଣ୍ଟ ହୁଏ ତେବେ ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇ ବିଜେପି କ୍ଷମତା ହରାଇବ। ଆମେ ନିର୍ବାଚନୀ ମେଣ୍ଟ ଚାହୁଁଛୁ। ମେଣ୍ଟରେ ଥିବା ଦଳମାନଙ୍କ ସହ ଆଲୋଚନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ସ୍ଥିର କରାଯିବ। ଚିଦାମ୍ୱରମ କହିଛନ୍ତି ଯେ ଆମେ ବିଜେପିକୁ ବାହାର ରାସ୍ତା ଦେଖାଇବାର ଲକ୍ଷ୍ୟ ରଖିଛୁ। ଏପରି ଏକ
ସରକାର ଗଠନର ଯୋଜନା କରୁଛୁ ଯିଏ ଲୋକଙ୍କୁ ଟିକସ ବୋଝରୁ ମୁକ୍ତି ଦେବ, ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ସହ କୃଷକଙ୍କ ସ୍ଥିତିରେ ସୁଧାର ଆଣିବ।

ଚିଦାମ୍ୱରମଙ୍କ ପୂର୍ବରୁ ବରିଷ୍ଠ ନେତା ସଲମାନ ଖୁର୍ସିଦ୍ଦ ମଧ୍ୟ ରାହୁଳଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ବିରୋଧ କରିଥିଲେ। ନିର୍ବାଚନୀ ମହାମେଣ୍ଟ ନେଇ ଉଦ୍ୟମ ବିଳମ୍ୱିତ ହେବା, ରାହୁଳଙ୍କୁ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା କଂଗ୍ରେସକୁ ମହଙ୍ଗା ପଡ଼ିପାରେ ବୋଲି ସେମାନେ ବୁଝିସାରିଲେଣି। କାରଣ ଅନୁଷ୍ଠିତ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବାକୁ ଆଞ୍ଚଳିକ ଦଳମାନେ ରାଜି ହେଉନାହାନ୍ତି। ଖାଲି ମଧ୍ୟପ୍ରଦେଶ ନୁହେଁ ରାଜସ୍ଥାନରେ ମଧ୍ୟ ଆଞ୍ଚଳିକ ଦଳମାନେ କଂଗ୍ରେସଠାରୁ ଦୂରେଇ ରହିବାକୁ ଏକପ୍ରକାର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ନିର୍ବାଚନୀ ମହାମେଣ୍ଟକୁ ନେଇ କଂଗ୍ରେସ କୌଣସି ନିଷ୍ପତ୍ତିକୁ ପହଞ୍ଚିପାରୁନାହିଁ, ପ୍ରକ୍ରିୟା ବିଳମ୍ୱିତ ହେଉଛି। ଅନ୍ୟପଟେ କିଛି ଆଞ୍ଚଳିକ ଦଳ ଏସପି ଓ ବିଏସପିର ନେତୃତ୍ୱରେ ନିର୍ବାଚନୀ ମହାମେଣ୍ଟ ସଫଳ ହେବାର ଯୁକ୍ତି ବାଢ଼ୁଛନ୍ତି।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କଂଗ୍ରେସ ନେତୃତ୍ୱକୁ ଭରସା କରିପାରୁନାହାନ୍ତି ଅନ୍ୟ ଦଳମାନେ। ରାଜନୈତିକ ବିଶେଷଜ୍ଞମାନଙ୍କ ମତ ହେଉଛି ସମ୍ଭାବ୍ୟ ନିର୍ବାଚନୀ ମହାମେଣ୍ଟକୁ ନେଇ ବର୍ତ୍ତମାନଠାରୁ କୌଣସି ଆକଳନ କରିବା ଠିକ ହେବ ନାହିଁ। କାରଣ ପ୍ରତିଟି ଦଳ ନିଜ ନିଜର ସ୍ୱାର୍ଥକୁ ମଧ୍ୟ ଦୃଷ୍ଟି ଦେଉଛନ୍ତି। ଆସନ ଭାଗବଣ୍ଟାକୁ ନେଇ ମଧ୍ୟ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ରହିଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେଉଁଠି ଦଳର ସ୍ଥିତି ମଜଭୁତ ଅଛି ସେଠାରେ ଏକାକି ଲଢ଼ିବାର ଯୋଜନା ରଖୁଛି, ନଚେତ ଅଧିକ ଆସନର ଦାବି ଉପସ୍ଥାପିତ କରୁଛି। ତେବେ ନିର୍ବାଚନର ଠିକ ପୂର୍ର୍ବରୁ ନିର୍ବାଚନୀ ମହାମେଣ୍ଟ ମଧ୍ୟ ନୂଆ ରୂପ ନେଇପାରେ।

ତେବେ କଂଗ୍ରେସ ଯଦି ରାହୁଳଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରେ ତା’ହେଲେ ଅନେକ ଦଳ ବିରୋଧ କରିବେ, ନିର୍ବାଚନୀ ମହାମେଣ୍ଟ ଜନ୍ମନେବା ପୂର୍ବରୁ ସତ୍ତା ହରାଇବ। ଏହି ଆଶଙ୍କାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ କଂଗ୍ରେସ ଓ ଏହାର ବରିଷ୍ଠ ନେତାମାନେ।

Get in Touch

Leave A Reply

Please enter your comment!
Please enter your name here


5 − one =

Related Articles

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

Get in Touch

20,830FansLike
2,507FollowersFollow
0SubscribersSubscribe

Latest Posts

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ...

ରାମ ମନ୍ଦିର ନିର୍ମାଣ ପାଇଁ ଗୋବିନ୍ଦାଚାର୍ଯ୍ୟ ବୁଦ୍ଧି ଦେଲେ ମୋଦିଙ୍କୁ

ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ସରକାରକୁ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ସମୟରେ ଲୋକମାନଙ୍କ ସମର୍ଥନ ଲୋଡ଼ିବାକୁ ପଡ଼ିଥାଏ। ସରକାରୀ ଚାକିରି ପାଇଁ ଯୁବକମାନଙ୍କୁ କଠିନ ପରୀକ୍ଷାର ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ...