ବିଲୁପ୍ତି ପଥରେ ବାମପନ୍ଥୀ

ଭୁବନେଶ୍ୱର: ଦଶ ବର୍ଷ ତଳେ ୨୦୦୪ ନିର୍ବାଚନରେ ୬୦ଟି ଲୋକସଭା ଆସନରେ ବିଜୟୀ ହୋଇ କେନ୍ଦ୍ର ସରକାର ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବାମପନ୍ଥୀ ଦଳ ଏବେ ବିଲୁପ୍ତି ପଥରେ ଗଥି କରୁଛି। କେବଳ କେରଳକୁ ଛାଡି ଦେଲେ ପଶ୍ଚିମବଙ୍ଗ, ତ୍ରିପୁରା, ବିହାର, ଆନ୍ଧ୍ର ପ୍ରଦେଶ, ପଞ୍ଜାବ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ପାର୍ଟି ତାର ଗୁରୁତ୍ୱ ହରାଇ ବସିଛି। କଂଗ୍ରେସ ସହିତ ମେଣ୍ଟ ହେବାକୁ ନେଇ ସିପିଏମର ମହା ସଚିବ ସୀତାରାମ ୟେଚୁରୀ ଓ ତାଙ୍କ ପୂର୍ବ ସୁରୀ ପ୍ରକାଶ କରାଟ ମଧ୍ୟରେ ଥିବା ମତଭେଦ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ପୁଣି କଂଗ୍ରେସ ସହିତ ଆଗାମୀ ନିର୍ବାଚନରେ ମେଣ୍ଟ ହେବା ନେଇ ଗତ କଛି ଦିନ ହେଲା ବିତର୍କ ଚାଲିଥିଲା। ଆଜି ସୀତାରାମ ୟେଚୁରୀ ଏଠାରେ କଂଗ୍ରେସ ସହିତ ମେଣ୍ଟ ହେବାଲି କହି ଏହି ବିତର୍କର ଅବସାନ ଘଟାଇଛନ୍ତି।

୨୦୦୪ ନିର୍ବାଚନରେ ସିପିଏମ ଏକାକୀ ବର୍ତ୍ତମାନର କଂଗ୍ରେସଠାରୁ ଅଧିକ ଆସନ (୪୪ଟି)ରେ ବିଜୟୀ ହୋଇଥିବାବେଳେ ବାମ ମେଣ୍ଟ ୬୦ଟି ଆସନରେ ବିଜୟୀ ହୋଇଥିଲା। ଏହି ୬୦ଟି ଆସନ ସହିତ ବାମପନ୍ଥୀମାନେ କଂଗ୍ରେସକୁ ସମର୍ଥନ ଦେଇ କେନ୍ଦ୍ର ସରକାର ଗଠନ କରିଥିଲେ। ଏହି ସମର୍ଥନ ବାମପନ୍ଥୀଙ୍କୁ ୨୦୧୪ରେ ଭାରି ମହଙ୍ଗା ସାବ୍ୟସ୍ତ୍ୟ ହୋଇଛି। ୪୪ ଆସନରୁ ସିପିଏମ ୨୦୧୪ରେ ମାତ୍ର ୯ଟି ଆସନରେ ବିଜୟୀ ହୋଇ ନିଜର ହୃତଗୌରବ ହରାଇ ବସିଛି। ଆରଏସପି ଗୋଟିଏ ମାତ୍ର ଆସନରେ ବିଜୟୀ ହୋଇଛି।

କେରଳକୁ ଛାଡ଼ି ଗତ ୩୦ବର୍ଷ ଧରି କ୍ଷମତାରେ ଥିବା ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଏବେ ସିପିଏମ କ୍ଷମତା ହରାଇ ସାରିଛି। ଏତଦ‍୍‌ ଭିନ୍ନ ବିହାର, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବରେ ପିସିଏମ ତାର ଅସ୍ଥିତ୍ୱ ହରାଇ ବସିଛି। ରାଜସ୍ଥାନରେ ୨୦୦୮ରେ ସିପିଏମ ୩ଟି ବିଧାନସଭା ଆସନରେ ବିଜୟୀ ହୋଇଥିବାବେଳେ ୨୦୧୩ରେ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା। ୨୦୧୫ ବିହାର ବିଧାନସଭା ନିର୍ବାଚନରେ ବାମପନ୍ଥୀମାନେ ଏକାଠି ନିର୍ବାଚନ ଲଢ଼ିଥିଲେ ହେଁ କେବଳ ସିପିଆଇ ଗୋଟିଏ ଆସନରେ ବିଜୟୀ ହୋଇଥିଲା। ସିପିଆଇ (ଏମ-ଏଲ) ୩ଟି ଆସନରେ ବିଜୟୀ ହୋଇଥିବାବେଳେ ସିପିଏମ ଖାତା ଖୋଲିପାରିନଥିଲା। ବାମପନ୍ଥୀ ମେଣ୍ଟରେ ସିପିଏମ ବଡ଼ ଭାଇର ଭୂମିକା ତୁଲାଉଥିବାବେଳେ ଦିନକୁ ଦିନ ନିଜର ଗୁରୁତ୍ୱ ହରାଇବାରେ ଲାଗିଛି।

ପଶ୍ଚିମବଙ୍ଗରେ ୨୦୧୬ ନିର୍ବାଚନରେ ସିପିଏମ ସବୁଠାରୁ ଳଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ୨୯୪ ଆସନରୁ ତୃଣମୂଳ କଂଗ୍ରେସ ୨୧୧ଟି ଆସନରେ ବିଜୟୀ ହୋଇଥିବାବେଳେ ସିପିଏମ-କଂଗ୍ରେସ ମେଣ୍ଟ ମାତ୍ର ୭୬ଟି ଆସନରେ ବିଜୟୀ ହୋଇଛି। ୭୬ଟି ଆସନ ମଧ୍ୟରୁ କଂଗ୍ରେସର ଅଧିକ ଆସନ ଥିବାବେଳେ ସିପିଏମର କମ‍୍‌ ଆସନ ରହିଛି। ତ୍ରିପୁରାରେ ସିପିଏମ ୨୫ବର୍ଷର ଶାସନ ବିଜେପି ହାତରେ ପରାସ୍ତ ହୋଇଛି। ଯେଉଁ ବିଜେପି ୨୦୧୨ରେ ୨ପ୍ରତିଶତ ଭୋଟରୁ କମ‍୍‌ ପାଇଥିଲା ସେହି ଦଳ କ୍ଷମତାକୁ ଆସିଛି। ଗତ ନିର୍ବାଚନରେ ୫୯ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିବା ସିପିଏମ ମାତ୍ର ୧୬ଟି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଛି। ଏଭଳି ସ୍ଥିତିରେ ସିପିଏମ ପାଇଁ କେରଳ ଏକମାତ୍ର ଭରସା ରହିଛି। ଏହି ଭରସା କେତେ ଦିନ ରହୁଛି ତାହା ଦେଖିବାର କଥା।

ବିଧାନସଭା ଓ ଲୋକସଭାରେ ସିପିଏମ ଶକ୍ତି ସଂକୁଚିତ ହେବା ଭଳି ରାଜ୍ୟସଭାରେ ମଧ୍ୟ ସଂକୁଚିତ ହେବାରେ ଲାଗିଛି। କେବଳ ଭୋଟ ରାଜନୀତି ନୁହେଁ ସିପିଏମ ତାର ପ୍ରଭାବ ମତଦାତାଙ୍କ ଉପରେ ଆଉ ପକାଇବାରେ ସକ୍ଷମ ହୋଇପାରୁନାହିଁ। ଫଳରେ ପାର୍ଟି ଭୋଟ ରାଜନୀତିରେ ବାରମ୍ୱାର ବିଫଳ ହେବାରେ ଲାଗିଛି। କ୍ଷମତା ପାଇଁ ଦଳରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏହି ବିଫଳତାର ଏକମାତ୍ର କାରଣ ବୋଲି କୁହାଯାଉଛି। ସିପିଏମର ଏପରି ବିପର୍ଯ୍ୟୟ ପାଇଁ ପାର୍ଟିର କର୍ମକର୍ତ୍ତାମାନେ ଆତ୍ମଚିନ୍ତନ କରିବାର ସମୟ ଆସିଯାଇଛି। ଦଳୀୟ କର୍ମକର୍ତ୍ତାମାନେ ନିଜ ଭିତରେ ଥିବା ମତଭେଦକୁ ଭୂଲି ସମସ୍ୟାର ସମାଧାନ ନକଲେ ସିପିଏମ ଇତିହାସ ପାଲଟିଯିବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ସିପିଏମର ରାଜନୈତିକ ବିପର୍ଯ୍ୟୟର ଯେତେଗୁଡିଏ କାରଣ ରହିଛି ତା ମଧ୍ୟରୁ ମୁଖ୍ୟ କାରଣ ହେଉଛି ପାର୍ଟି ସମୟ ସହିତ ତାଳ ଦେଇ ନିଜ ବିଚାରଧାରାରେ ପରିବର୍ତ୍ତନ ଆଣିପାରୁନାହିଁ। ପୁରୁଣା ଚିନ୍ତାଧାରା ବର୍ତ୍ତମାନର ମତଦାତାମାନଙ୍କୁ ଆକୃଷ୍ଟ କରିପାରୁନାହିଁ। ପୁରୁଣା ଚିନ୍ତାଧାରା ନେଇ ପାର୍ଟି ଲୋକମାନଙ୍କ ପାଖରେ ଗ୍ରହଣୀୟ ହେଉନାହିଁ। ଫଳରେ ସିପିଏମ ଲୋକସଭା ଓ ବିଧାନସଭା ନିର୍ବାଚନରେ ପରାଜିତ ହେବାରେ ଲାଗିଛି। ଆଗାମୀ ନିର୍ବାଚନରେ ସିପିଏମ ସେପରି ଆଖିଦୃଶିଆ ସଫଳତା ପାଇବ ବୋଲି ଆଶା କରାଯାଉନାହିଁ।

ପିସିଏମ ଗତ କିଛି ବର୍ଷ ହେଲା ନୂଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବାରେ ବିଫଳ ହେବା ସହିତ ଏବେ ନେତୃତ୍ୱକୁ ନେଇ ପ୍ରଶ୍ନ ଚିହ୍ନ ଲାଗିଲାଣି। ବର୍ତ୍ତମାନ ସୀତାରାମ ୟେଚୁରୀ ଓ ପ୍ରକାଶ କରାତ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏପରି ଅବସ୍ଥାରେ ପାର୍ଟିରେ ନୂଆ ସଦସ୍ୟ ଯୋଗ ଦେବାକୁ ମନ ବଳାଉନାହାନ୍ତି। ୟେଚୁରୀ କଂଗ୍ରେସ ସହିତ ମେଣ୍ଟ କରିବାକୁ ଆଗ୍ରହୀ ଥିବାବେଳେ ପ୍ରକାଶ କରାତ ଏହାକୁ ବିରୋଧ କରୁଛନ୍ତି। ପାର୍ଟିରେ ଯେପରି କନ୍ଦଳ ଚାଲିଛି ଯଦି ଏହାର ଖୁବ‍୍‌ ଶୀଘ୍ର ସମାଧାନ ନ ହୁଏ ଆଗାମୀ ଲୋକସଭା ନିର୍ବାଚନରେ ସଫା ହୋଇଗଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

Add a Comment

Your email address will not be published. Required fields are marked *


+ two = 6