ମୋଦି-ଶାହା-ନୀତିଶ ବିରୋଧି ଏକତାକୁ ବିପଦ !

ଭୁବନେଶ୍ୱର:ରାଜ୍ୟସଭା ଉପସଭାପତି ନିର୍ବାଚନ ଶେଷ ହୋଇଯାଇଛି। ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଦଳ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ୧୨୫ଜଣ ସାଂସଦଙ୍କ ସମର୍ଥନରେ ରାଜ୍ୟସଭାର ଉପସଭାପତି ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭାରେ ଏନଡିଏ ପାଖରେ ୧୦୦ ସାଂସଦଙ୍କ ସମର୍ଥନ ନଥିବାବେଳେ ସେମାନେ ବିଜୟୀ ହୋଇଛନ୍ତି। ଅପରପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧିଦଳ ପାଖରେ ୧୧୬ ସଦସ୍ୟଙ୍କ ସମର୍ଥନ ଥିଲା। କଂଗ୍ରେସ ପ୍ରାର୍ଥୀ ବି.କେ ହରିପ୍ରସାଦଙ୍କୁ ଏହି ସାଂସଦମାନଙ୍କର ସମର୍ତନ ମିଳିନପାରିବାରୁ ତାଙ୍କ ଭୋଟ ସଂଖ୍ୟା ୧୦୧ରେ ସୀମିତ ରହିଲା।

ରାଜ୍ୟସଭା ଉପସଭାପତି ନିର୍ବାଚନ ଶାସକ ଓ ବିରୋଧିଦଳ ପାଇଁ ସମ୍ମାନର ପ୍ରଶ୍ନ ଥିଲା। ଏଭଳି କ୍ଷେତ୍ରରେ ୧୬ ସାଂସଦ ନିର୍ବାଚନରେ ମତଦାନ କରିନାହାନ୍ତି। ଏହି ୧୫ଜଣ ସାଂସଦଙ୍କ ମଧ୍ୟରୁ ୩ଜଣ କଂଗ୍ରେସର ଓ ୨ଜଣ ତୃଣମୂଳ କଂଗ୍ରେସର ଥିଲେ। ଏହି ଦୁଇ ଦଳ ମୋଦି ସରକାର ବିରୋଧରେ ବିରୋଧି ମେଣ୍ଟକୁ ଶକ୍ତିଶାଳୀ କରିବାରେ ଲାଗିଛନ୍ତି। ଏହି ଦୁଇ ଦଳର ଚିନ୍ତାଧାରା ଯୋଗୁଁ ରାଜ୍ୟସଭା ଉପସଭାପତି ନିର୍ବାଚନ ହୋଇଥିଲା।

ରାଜ୍ୟସଭା ଉପସଭାପତି ନିର୍ବାଚନର ପରିଣାମ ଆଗାମୀ ଦିନରେ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିପାରେ। ଏହା କିପରି , କେଉଁ ପରିସ୍ଥିତିରେ ହେବ ତାହା ଜାଣିବାକୁ ହେଲେ ପ୍ରଥମେ ରାଜ୍ୟସଭା ଉପସଭାପତି ନିର୍ବାଚନ ପରିଣାମ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ। ରାଜ୍ୟସଭା ଉପସଭାପତି ନିର୍ବାଚନରେ ବିରୋଧିଦଳର ଜିତିବା ସମ୍ଭାବନା ଅଧିକ ଥିଲାବେଳେ ମୋଦି-ଶାହା-ନୀତିଶ କୁମାର ଏହା ସେମାନଙ୍କ ହାତରୁ ଛଡାଇ ନେବାରେ ସଫଳ ହୋଇଛନ୍ତି।

ଏନଡିଏର ପ୍ରୟାସ

ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ଥିବାରୁ ଏହା ମାଧ୍ୟମରେ ମୋଦି-ଶାହା ଦେଶବାସୀଙ୍କୁ ମେଣ୍ଟ ସମ୍ପର୍କରେ ବାର୍ତ୍ତା ଦେବାକୁ ଚାହିଁ ସଫଳ ହୋଇଛନ୍ତି। କେବଳ ସ୍ତିକି ନୁହେଁ ବିରୋଧି ମେଣ୍ଟ ଯେ ସ୍ୱାର୍ଥକୁ ନେଇ ଗଠିତ, ସେମାନଙ୍କ ମଧ୍ୟରେ ଏକତା ନାହିଁ ବୋଲି ମୋଦି-ଶାହା ଏହି ନିର୍ବାଚନ ମାଧ୍ୟମରେ ପ୍ରମାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ରାଜ୍ୟସଭା ଉପସଭାପତି ପଦବୀ ଜେଡିୟୁ ଦେଇ ନୀତିଶ କୁମାରଙ୍କୁ ସନ୍ତୁଷ୍ଟ କରିବା ସହିତ ଏନଡିଏ ମେଣ୍ଟକୁ ଆହୁରି ଶକ୍ତିଶାଳୀ କରିଛନ୍ତି। ଏହି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଯେତିକି ତତ୍ପରତା ପ୍ରକାଶ ପାଇଲା ତାଠାରୁ ଅଧିକ ନୀତିଶଙ୍କଠାରେ ଦେଖାଦେଇଥିଲା। ଫଳରେ ଏହି ନିର୍ବାଚନକୁ ସେମାନେ ସହଜରେ ଜିତି ନେଇଛନ୍ତି।

ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆତ୍ମବଡିମା ଯୋଗୁଁ ୱାଇଏସଆର କଂଗ୍ରେସ, ଆପ, ପିଡିପି ଭଳି ଦଳ ଏନଡିଏ କିମ୍ୱା କଂଗ୍ରେସକୁ ଭୋଟ ନ ଦେଇ ଭୋଟଦାନରୁ ବିରତ ରହିଲା। ଏହିସବୁ ଭୋଟ କଂଗ୍ରେସକୁ ମିଳିବ ବୋଲି ଆକଳନ କରାଯାଇଥିଲା। ଲୋକସଭାରେ ୨୦ଦିନ ତଳେ ବିଜେପି ଯେପରି ଅବିଶ୍ୱାସ ପ୍ରସ୍ତାବରୁ ରକ୍ଷା ପାଇଥିଲା ସେହିଭଳି ଅନ୍ଦାଜରେ ଏହି ନିର୍ବାଚନରେ ମଧ୍ୟ ବିଜୟ ହାସଲ କରି ଆଗାମୀ ସାଧାରଣ ନିର୍ବାଚନରେ ମେଣ୍ଟ ପାଇଁ ଆତ୍ମବିଶ୍ୱାସ ବଢାଇପାରିଛି।

ଏହାର ପ୍ରଭାବ କ’ଣ ରହିବ

ଏହି ରାଜ୍ୟସଭା ଉପସଭାପତି ନିର୍ବାଚନରେ ସହଯୋଗୀ ଦଳ ଜେଡିୟୁ ସୁଯୋଗ ଦେଇ ସହଯୋଗୀ ଦଳକୁ ସମ୍ମାନ ଦେଇନଥିବା ହେଉଥିବା ଅଭିଯୋଗକୁ ବିଜେପି ଖାରଜ କରିଛି। ବିଜେପି ମନୋଭାବରେ ଏପରି ପରିବର୍ତ୍ତନର କାରଣ ହେଲା ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଭଳି ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ସହଯୋଗୀ ଦଳଙ୍କ ଅସହଯୋଗ ଯୋଗୁଁ ବିଜେପି ପ୍ରାର୍ଥୀ ପରାଜିତ ହୋଇଛନ୍ତି। ଏହି ପରାଜୟ ପରେ ବିଜେପବି ନେତୃତ୍ୱର ସଦବୁଦ୍ଧି ଉଦୟ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଭଳି ଲୋକପ୍ରିୟ ନେତା, ଅମିତ୍ ଶାହାଙ୍କ ଭଳି କୁଶଳୀ ରଣନୀତିକାର ଥିଲେ ମଧ୍ୟ ବିଜେପି ଆଗାମୀ ନିର୍ବାଚନକୁ ସହଜରେ ଜିତିବା ପାଇଁ ନୀତିଶ କୁମାରଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି। ଏକଥା ଡେରିଲେ ହେଲେ ମଧ୍ୟ ବିଜେପି ନେତୃତ୍ୱ ବୁଝିପାରିଛି। ରାଜନୀତିରେ ସଂଯମୀ, ମୃଦୁଭାଷୀ, ବିରୋଧିଙ୍କୁ ସମ୍ମାନ ଦେଉଥିବା ନେତା ନୀତିଶ କୁମାର ୨୦୧୯ ନିର୍ବାଚନରେ ମୋଦି-ଶାହାଙ୍କୁ ଲକ୍ଷ୍ୟ ପଥରେ ପହଞ୍ଚାଇପାରିବେ। ଯଦି ବହୁମତ ନ ମିଳେ ତେବେ ମୋଦି-ଶାହା ନୀତିଶ କୁମାରଙ୍କ ସହାୟତରେ ଅନ୍ୟ ଦଳର ସହଯୋଗ କାମନା କରିପାରିବେ ବୋଲି ସେମାନେ ବୁଝିସାରି ତାଙ୍କୁ ମନାଇବାରେ ଲାଗିଛନ୍ତି।

ଶାସକ ଦଳ ତୁଳନାରେ ବିରୋଧିଦଳର ଅବସ୍ଥା ସମ୍ପୂର୍ଣ୍ଣ ବିପରୀତ ଅବସ୍ଥାକୁ ଆସିଯାଇଛି। ମାତ୍ର ୨୦ ଦିନ ମଧ୍ୟରେ ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ଆଣି ବିରୋଧି ଦଳ ହଟହଟା ହେବା ପରେ ପୁଣି ରାଜ୍ୟସଭା ଉପସଭାପତି ନିର୍ବାଚନରେ ସଂଖ୍ୟା ଥାଇ ମଧ୍ୟ ପରାଜିତ ହୋଇଛି। ଏହି ଦୁଇଟି ଘଟଣାରେ ବିରୋଧି ଦଳ ଏକ ହେବା ପରିବର୍ତେ ବିଭାଜିତ ହୋଇଥିବା ପରିଲକ୍ଷିତ ହୋଇଛି। ବିରୋଧି ମେଣ୍ଟର ନେତୃତ୍ୱ ନେଉଥିବା କଂଗ୍ରେସ ଅନ୍ୟଦଳର ନେତାଙ୍କୁ ସମ୍ମାନ ଦେବା ମଧ୍ୟ ଶିଖିପାରିନାହିଁ। ଯାହା ଫଳରେ ୱାଇଏସଆର କଂଗ୍ରେସ, ଆପ, ପିଡିପି ଭଳି ଦଳ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ନଦେଇ ଏଥିରୁ ବିରତ ରହିଲା। ଏପରିକି ଆଗାମୀ ୨୦୧୯ ନିର୍ବାଚନରେ କଂଗ୍ରେସ ସହିତ ବିରୋଧି ମେଣ୍ଟରେ ଆପ ନିର୍ବାଚନୀ ବୁଝାମଣା କରିବ ନାହିଁ ବୋଲି ଦଳର ନେତା ଅରବିନ୍ଦ କେଜ୍ରିୱାଲ ଘୋଷଣା କରିସାରିଲେଣି। ବିଜେଡି-ଟିଆରଏସ ଭଳି ଦଳମାନେ କଂଗ୍ରେସଠାରୁ ଦୂରରେ ରହିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ କାହା ସହିତ ମେଣ୍ଟ କରି ଆଗାମୀ ନିର୍ବାଚନ ଲଢିବ ତାହା ପ୍ରଶ୍ନବାଚୀ ସୃଷ୍ଟି କଲାଣି।

ମୋଦି-ଶାହାଙ୍କୁ ନୀତିଶ କୁମାର ସହଜରେ ଧରାଦେବେ କି?

ଏହାର ଉତ୍ତର ନାହିଁ ବୋଲି କୁହାଯାଇପାରିବ ନାହିଁ। କାରଣ ମୋଦି-ଶାହାଙ୍କ ସହିତ ନୀତିଶ ସମ୍ପର୍କ ସ୍ୱାଭାବିକ ନ ହେଲେ ମଧ୍ୟ ସମୟର ଆବଶ୍ୟକତା ରହିଛି। ତେଣୁ ୨୦୧୯ ନିର୍ବାଚନରେ ଜେଡିୟୁ – ବିଜେପି ମେଣ୍ଟ ହେବାର ବହୁ ସମ୍ଭାବନା ରହିଛି। ରାଜ୍ୟସଭା ଉପସଭା ପଦବୀ ପାଇଁ ପ୍ରାର୍ଥୀ ଘୋଷଣା କଲା ଭଳି ବିଜେପି ନୀତିଶ କୁମାରଙ୍କୁ ସମ୍ମାନ ଦେଲେ ମେଣ୍ଟରେ କୌଣସି ସମସ୍ୟା ହେବ ନାହିଁ ବୋଲି କୁହାଯାଇପାରେ।

Add a Comment

Your email address will not be published. Required fields are marked *


× 7 = twenty eight