କେତେ ସଫଳ ନୋଟା ?

ତାମିଲନାଡୁର ନୀଳଗିରୀ ଆସନରେ ସର୍ବାଧିକ ୪୬,୫୫୯ ମତଦାତା(୫ପ୍ରତିଶତ) ନୋଟା ବିକଳ୍ପକୁ ବାଛିଥିଲେ

ଓଡିଶାର ନବରଂଗପୁର ଆସନରେ ୪୪,୪୦୮ ମତଦାତା (୪.୩ପ୍ରତିଶତ) ନୋଟା ବିକଳ୍ପକୁ ବାଛିଥିଲେ

ଆଦିବାସୀ ବହୁଳ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନୋଟାର ବ୍ୟବହାର ଅଧିକ

ଭୁବନେଶ୍ୱର,(ଓଟି): ଚଳିତ ଲୋକସଭାର ମିଆଦ ପୁରୀବାକୁ ଆଉମାତ୍ର ୬ମାସ ସମୟ ବାକି ରହିଛି। ଆଗାମୀ ନିର୍ବାଚନ ପାଇଁ ଶାସକ ଓ ବିରୋଧିଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗାମୀ ନିର୍ବାଚନରେ ଯଦି ବିଜେପି କ୍ଷମତାକୁ ଆସେ ୫୦ବର୍ଷ ପର୍ଯ୍ୟନ୍ତ ତାଙ୍କ ଦଳ ସରକାର ଗଢିବ ବୋଲି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଦାବି କରିଛନ୍ତି। ଅପରପକ୍ଷରେ ମୋଦି ସରକାରକୁ କ୍ଷମତାରୁ ହଟାଇବା ପାଇଁ ବିରୋଧିଦଳ ଗୁଡିକ ଏକାଠି ହେବାରେ ଲାଗିଲେଣି। ଯଦି ଆଗାମୀ ନିର୍ବାଚନରେ ବିରୋଧିଦଳମାନେ ଏକାଠି ନିର୍ବାଚନ ଲଢନ୍ତି ତେବେ ବିଜେପି ପାଇଁ କ୍ଷମତାକୁ ଫେରିବା କାଠିକର ପାଠ ହୋଇଯିବ।

ଇତି ମଧ୍ୟରେ ସବର୍ଣ୍ଣ ସମର୍ଥକମାନେ ବିଜେପି ପାଇଁ ବଡ ବିପଦ ସୃଷ୍ଟି କରିସାରିଲେଣି। ସେମାନଙ୍କ କହିବା କଥା ଅନୁସୂଚିତ ଜାତି/ଜନଜାତି ଅତ୍ୟାଚାର ନିବାରଣ ଆଇନକୁ ନେଇ ମୋଦି ସରକାର ବିରୋଧରେ ୨୦୧୯ ନିର୍ବାଚନରେ ନୋଟା ବଟନର ପ୍ରୟୋଗ କରିବେ। ଅର୍ଥାତ୍ ସେମାନେ ବିଜେପିକୁ ଭୋଟ ଦେବେ ନାହିଁ କି ବିରୋଧିଦଳକୁ ମଧ୍ୟ ସମର୍ଥନ କରିବେ ନାହିଁ। ସାମଜିକ ଗଣମାଧ୍ୟମରେ ଏପରି ଅପିଲଏ ଏବେ ଭାଇରାଲ ହେବାରେ ଲାଗିଛି। ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ସଂରକ୍ଷିତ ୧୩୧ଟି ଲୋକସଭା ଆସନରେ ନୋଟା ମାଧ୍ୟମରେ ନିଜର ଅସନ୍ତୋଷକୁ ଜାହିର କରିବା ପାଇଁ କୁହାଯାଉଛି। କାରଣ ମୋଦି ସରକାର ବିଧେୟକ ଜରିଆରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛି, ଯେଉଁଥିରେ ଅନୁସୂଚିତ ଜାତି/ଜନଜାତ ଆଇନ ଅନୁସାରେ ତୁରନ୍ତ ଗିରଫଦାରୀ ଉପରେ ରୋକ ଲଗାଯାଇଥିଲା।

ସବର୍ଣ୍ଣ ସମର୍ଥକମାନଙ୍କର ଏପରି ଅସନ୍ତୋଷ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ପାଇଁ ଯାଉଥିଲାବେଳେ ବିରୋଧିଦଳମାନେ ବି ଏଥିଣୁ ରକ୍ଷା ପାଇପାରିବେ ନାହିଁ। କାରଣ ବିଜେପି ଭୋଟ ବିରୋଧିଦଳକୁ ନଯାଇ ଏହା ନୋଟାକୁ ଯାଇ ଉଭୟଙ୍କୁ କ୍ଷତି ପହଞ୍ଚାଇବ।

ନିର୍ବାଚନରେ ସମସ୍ତ ପ୍ରାର୍ଥୀମାନଙ୍କୁ ଖାରଜ କରିବା ବା ନାପସନ୍ଦ କରିବାର ଅଧିକାର ୨୦୧୩ ସେପ୍ଟେମ୍ୱର ୨୭ ତାରିଖରେ ସୁପ୍ରିମକୋର୍ଟ ଏକ ଆଦେଶ ବଳରେ ମତଦାତାମାନଙ୍କୁ ଦେଇଛି। ସୁପ୍ରିମକୋର୍ଟଙ୍କ ମତରେ ଏହି ନୋଟା ଅଧିକାର ରାଜନୈତିକ ବ୍ୟବସ୍ଥାକୁ ଦୋଷମୁକ୍ତ କରିବାରେ ସହାୟକ ହେବ। ଏହା ପୂର୍ବରୁ ନିର୍ବାଚନ ସମ୍ୱଦ୍ଧିତ ନିୟମ ସଂହିତା-୧୯୬୧ ଅନୁସାରେ ମତଦାତମାନଙ୍କୁ ଅଲଗା ଫର୍ମ ପୁରଣ କରି ସମସ୍ତ ପ୍ରାର୍ଥୀମାନଙ୍କୁ ନାପସନ୍ଦ କରିବାର ଅଧିକାର ଦିଆଯାଇଛି। ଏହା ଉପରେ ସୂଚନା ଅଭାବରୁ ଓ ମତଦାତାମାନଙ୍କ ପରିଚୟ ପଦାରେ ପଡିବା କାରଣରୁ ନୋଟାର ବ୍ୟବହାର ଉଚିତ୍ ମାତ୍ରାରେ ହୋଇପାରୁନାହିଁ।

୨୦୧୩ରେ ଯେତେବେଳେ ମତଦାତାମାନଙ୍କୁ ନୋଟା ଅଧିକାର ଦିଆଗଲା ସେତେବେଳେ ଆଶା କରାଯାଉଥିଲା ସହରାଞ୍ଚଳରେ ଏହାର ବ୍ୟବହାର ଅଧିକ ହେବ। ଏପରିକି ଅପରାଧିକ ପୃଷ୍ଠଭୂମି ଥିବା ନେତାମାନଙ୍କ ବିରୋଧରେ ନୋଟାକୁ ବିକଳ୍ପ ଭାବେ ବ୍ୟବହାର କରାଯିବ। ଏହି ବିକଳ୍ପ ରହୁଥିବାରୁ ପୂର୍ବାପେକ୍ଷା ମତଦାତାମାନେ ଅଧିକ ସଂଖ୍ୟାରେ ଭୋଟ କେନ୍ଦ୍ରକୁ ଆସିବେ ବୋଲି ବିଚାର କରାଯାଉଥଲା। କିନ୍ତୁ ଏହି ଧାରଣା ଭୂଲ ପ୍ରମାଣିତ ହୋଇଛି।

ଏସମ୍ପର୍କରେ ଏକ ରିପୋର୍ଟ ଅନୁସାରେ ୨୦୧୩ ଅକ୍ଟୋବରରୁ ୨୦୧୬ ମଇ ମାସ ପର୍ଯ୍ୟନ୍ତ ହୋଇଥିବା ଗୋଟିଏ ଲୋକସଭା ଓ ୨୦ଟି ବିଧାନସଭା ନିର୍ବାଚନରେ ଆଦିବାସୀ ବହୁଳ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନୋଟାର ଅଧିକ ବ୍ୟବହାର କରାଯାଇଛି। ୨୦୧୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଗଢଚିରୋଲି ଆସନରେ ୨୪,୨୪୮ମତଦାତା(୨.୩୮ ପ୍ରତିଶତ) ନୋଟା ବିକଳ୍ପର ବ୍ୟବହାର କରିଛନ୍ତି। ଏହାର ପାଞ୍ଚ ମାସ ପରେ ୨୦୧୪ ଅକ୍ଟୋବର ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ଗଢଚିରୋଲି ବିଧାନସଭା ଆସନରେ ୧୭,୫୧୦ ମତଦାତା (୧୦ପ୍ରତିଶତ) ସମସ୍ତ ପ୍ରାର୍ଥୀଙ୍କୁ ଖାରଜ କରି ନୋଟା ବିକଳ୍ପକୁ ବାଛିଛନ୍ତି। ଗତ ଲୋକସଭା ନିର୍ବାଚନରେ ଛତିଶଗଡ ବସ୍ତରରେ ନୋଟା ବିକଳ୍ପ ବ୍ୟବହାର ତୃତୀୟ ସ୍ଥାନରେ ରହିଥିଲା। ଏହି ଆସନରେ ୩୮,୭୭୨ ମତଦାତା (୫ପ୍ରତିଶତ) ନୋଟା ବିକଳ୍ପର ବ୍ୟବହାର କରିଥିଲେ।

ଗତ ଲୋକସଭା ନିର୍ବାଚନରେ ନୋଟା ବିକଳ୍ପ ବ୍ୟବହାର ତାମିଲନାଡୁର ନୀଳଗିରୀ ଓ ଓଡିଶାର ନବରଂଗପୁର ଆସନରେ ଅଧିକ ହୋଇଥିଲା। ତାମିଲନାଡୁର ନୀଳଗିରୀ ଆସନରେ ସର୍ବାଧିକ ୪୬,୫୫୯ ମତଦାତା(୫ ପ୍ରତିଶତ) ଓ ଓଡିଶାର ନବରଂଗପୁର ଆସନରେ ୪୪,୪୦୮ ମତଦାତା (୪.୩ପ୍ରତିଶତ) ନୋଟା ବିକଳ୍ପକୁ ବାଛିଥିଲେ। ବିଧାନସଭା ନିର୍ବାଚନରେ ୨୦୧୩ରେ ଛତିଶଗଡରେ ନୋଟାର ଭୋଟ ପରିମାଣ (୩ପ୍ରତିଶତ) ଅଧିକ ଥିଲା। ୨୦୧୫ରେ ଦିଲ୍ଲୀରେ ନୋଟା ଭୋଟ ପରିମାଣ ମାତ୍ର୦.୪ ପ୍ରତିଶତ ଥିଲା। ଅର୍ଥାତ୍ ଅଧିକ ଶିକ୍ଷିତ ଓ ସହରାଞ୍ଚଳ ଲୋକମାନେ ନୋଯା ବ୍ୟବହାର କମ କରିଛନ୍ତି।

ପଛୁଆ ଓ ଆଦିବାସୀ ଅଞ୍ଚଳରେ ନୋଟା ବ୍ୟବହାରର ପଛରେ ଦୁଇଟି ବଡ କାରଣ ରହିଛି। ପ୍ରଥମତଃ ନକ୍ସଲମାନଙ୍କ ଦ୍ୱାରା ନିର୍ବାଚନ ବହିଷ୍କାର ସ୍ଥାନରେ ନୋଟାର ବ୍ୟବହାର କରାଯାଇଛି। ନୋଟା ବ୍ୟବହାର ପୂର୍ବରୁ ଲୋକମାନେ ନିଜ ଅସନ୍ତୋଷକୁ ଜାହିର କରିବା ପାଇଁ ବହୁ ସଂଖ୍ୟାରେ ହଭୋଟ ବର୍ଜନ କରୁଥିଲେ। ଯେଉଁ ଆସନ ଆଦିବାସୀମାନଙ୍କ ସଂରକ୍ଷିତ ରହିଛି ସେଠାରେ ନୋଟାର ବହୁଲ ବ୍ୟବହାର ହୋଇଛି। ତେଣୁ ଅନୁସୂଚିତ ଜାତି/ଜନଜାତି ଆଇନ ବିରୋଧରେ ସବର୍ଣ୍ଣ ମତଦାତାମାନେ ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନରେ ବହୁସଂଖ୍ୟାରେ ନୋଟା ବ୍ୟବହାର କରିବେ ବୋଲି ଚେତାବନୀ ଦେବାରେ ଲାଗିଲେଣି।

ଯେଉଁ ମତଦାତାମାନେ ଶାସକ ଦଳ ସହିତ ବିରୋଧି ଦଳଗୁଡିକ ଉପରେ ସନ୍ତୁଷ୍ଟ ନୁହଁନ୍ତି ସେମାନେ ନିଜର ଅସନ୍ତୋଷକୁ ନୋଯା ଜରିଆରେ ପ୍ରକଟ କରିବାକୁ ଯାଉଛନ୍ତି। ୨୦୧୯ ନିର୍ବାଚନରେ ଯଦି ବହୁ ସଂଖ୍ୟାରେ ମତଦାତାମାନେ ନୋଟାର ବ୍ୟବହାର କରିବେ ତେବେ ଏହାର ଉପଯୋଗୀତାକୁ ନେଇ ବିତର୍କ ଆରମ୍ଭ ହୋଇଯିବ। ଅର୍ଥାତ୍ ନୋଟାକୁ ଅଧିକ ଲୋକପ୍ରିୟ କରିବା ପଦକ୍ଷେପ ନିଆଯାଇପାରେ।

ନୋଟା ଭୋଟ ଯେତେ ପଡିଲେ ଏହା ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପକାଇବାର ସମ୍ଭାବନା ବହୁତ କମ‍୍‌ ରହିଛି। କାରଣ ଗତ ନିର୍ବାଚନରେ ପ୍ରାୟ ୬୦ ଲକ୍ଷ ମତଦାତା (୧.୦୮ପ୍ରତିଶତ) ନୋଯା ବିକଳ୍ପର ବ୍ୟବହାର କରିଥିଲେ। ଯାହାକି ୨୧ଟି ଦଳକୁ ମିଳିଥିବା ଭୋଟଠାରୁ ଅଧିକ ବୋଲି ଜଣାପଡିଛି। ଏହି ଦଳଗୁଡିକ ମଧ୍ୟରେ ସଂଯୁକ୍ତ ଜନତା ଦଳ, ସିପିଆଇ, ଜେଡିଏସ, ଶିରୋମଣି ଅକାଳି ଦଳ ରହିଛି।

ଗତ ନିର୍ବାଚନରେ ଯେଉଁଠି ବିଜେପି-କଂଗ୍ରେସ ମଧ୍ୟରେ ଲଢେଇ ହୋଇଛି ସେଠାରେ ନୋଟା ବ୍ୟବହାର ଅଧିକ ହୋଇଛି। ୨୦୧୪ ତୁଳନାରେ ନୋଟା ଅଧିକ ବ୍ୟବହାର ହେଲେ ଏହା ବିଜେପିକୁ ଅଧିକ କ୍ଷତି କରିବ ବୋଲି ଆକଳନ କରାଯାଇଛି। ଗତ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ୮୦ ଲୋକସଭା ଆସନ ମଧ୍ୟରୁ ୧୯ଟିରେ ନୋଟା ଭୋଟ ପରିମାଣ ୧୦ହଜାରୁ ଅଧିକ ଥିଲାବେଳେ ଗୁଜରାଟର ୨୬ରୁ ୨୩ଟି , ରାଜସ୍ଥାନର ୨୫ରୁ ୧୬ଟି, ବିହାରର ୪୦ରୁ ୧୫ଟି ଓ ମଧ୍ୟପ୍ରଦେଶର ୨୯ରୁ ୧୯ଟିରେ ନୋଟା ଭୋଟ ପରିମାଣ ୧୦ହଜାରରୁ ଅଧିକ ଥିଲା। ଯଦି ନୋଟା ଭୋଟ ପରିମାଣ ୨୦୧୯ରେ ବୃଦ୍ଧି ପାଏ ତେବେ ଏହା ବିଜେପି ସମେତ ବିରୋଧିଦଳଗୁଡିକ ପାଇଁ ସମସ୍ୟା ସୃଷ୍ଟି କରିପାରେ।

Add a Comment

Your email address will not be published. Required fields are marked *


7 + = fifteen