ଦାଗୀ ନେତାଙ୍କ ବିରୋଧରେ ଆଇନ କିଏ କରିବ ?

୩୦% ସାଂସଦ ଓ ୩୩% ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା

ଭୁବନେଶ୍ୱର: ଯେଉଁ ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ମୋନେ ନିର୍ବାଚନ ଲଢିପାରିବେ ବୋଲି ଗତକାଳଇ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି। କିନ୍ତୁ ଏଭଳି ନେତାମାନଙ୍କୁ ରାଜନୀତିରୁ ଦୂରେଇ ରଖିବା ପାଇଁ ଆଇନ ତିଆରି କରିବାକୁ ସଂସଦ ଉପରେ ଦାୟିତ୍ୱ ଛାଡିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଗ୍ରହ ଅନୁସାରେ ପ୍ରସ୍ତାବିତ ଆଇନ ହୋଇପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ବର୍ତ୍ତମାନ ସାଂସଦ ଥିବା ସଦସ୍ୟମାନଙ୍କ ମଧ୍ୟରୁ ଏକମ ତୃତୀୟାଂଶ ଅପରାଧିକ ମାମଲାରେ ଜଡିତ ଅଛନ୍ତି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ତାଜା ରିପୋର୍ଟ ଅନୁସାରେ ୩୦ପ୍ରତିଶତ ସାଂସଦ ଓ ୩୩ପ୍ରତିଶତ ବିଧାୟକମାନଙ୍କ ବିରୋଧରେ ଅପରାଧିକ ମାମଲା ବିଚାରଧିନ ରହିଛି। ଏଭଳି ସ୍ଥିତିରେ ଅପରାଧିକ ମାମଳାରେ ଜଡିତ ଥିବା ନିର୍ବାଚିତ ପ୍ରତିନିଧିମାନଙ୍କଠାରୁ ଅପରାଧିଙ୍କୁ ନିର୍ବାଚନରୁ ଦୂରେଇ ରଖିବା ଆଇନ କିପରି ଆଶା କରାଯିବ ବୋଲି ଆଲୋଚନା ହେଉଛି।

ସଂସଦରେ ଦାଗୀ ସାଂସଦମାନଙ୍କର ସଂଖ୍ୟା କିଛି କମ ନୁହେଁ। ବର୍ତ୍ତମାନ ଲୋକସଭାର ସଦସ୍ୟ ଥିବା ୫୪୪ଜଣଙ୍କ ମଧ୍ୟରୁ ୧୭୯ଜଣ ସାଂସଦଙ୍କ ବିରୋଧରେ ହତ୍ୟା, ବଳାତ୍କାର, ଅପହରଣ ଭଳି ଗମ୍ଭୀର ମାମଲା ରହିଛି। ୧୭୯ଜଣଙ୍କ ମଧ୍ୟରୁ ୧୪୪ ଜଣ ସାଂସଦଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି। ସେହିଭଳି ସଂସଦର ଉଚ୍ଚ ସଦନ ବା ରାଜ୍ୟସଭାର ୨୨୮ଜଣ ସାଂସଦଙ୍କ ମଧ୍ୟରୁ ୫୧ଜଣ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ଝାଡଖଣ୍ଡରେ  ସର୍ବାଧିକ ୬୩ ପ୍ରତିଶତ ବିଧାୟକଙ୍କ ବିରୋଧରେ ମାମଲା 

ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ୪୦୮୩ଜଣ ବିଧାୟକ ଅଛନ୍ତି। ଏହି ବିଧାୟକମାନଙ୍କ ମଧ୍ୟରୁ ୧୩୫୫ଜଣ ବା ୩୩ ପ୍ରତିଶତଙ୍କ ବିରୋଧରେ ହତ୍ୟା, ଅପହରଣ, ବଳାତ୍କାର ଭଳି ମାମଲା ରହିଛି। ଦାଗୀ ବିଧାୟକ ମାମଲାରେ ଝାଡଖଣ୍ଡର ୬୩ ପ୍ରତିଶତ ବିଧାୟକଙ୍କ ବିରୋଧରେ ମାମଲା ରହିଛି। ଝାଡଖଣ୍ଡର ୪୯ଜଣ ବିଧାୟକଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି। କେରଳର ୪୯ ବିଧାୟକ ଅର୍ଥାତ୍ ୬୨ ପ୍ରତିଶତଙ୍କ ବିରୋଧରେ ମାମଲା ଥିବାବେଳେ ୨ୟ ସ୍ଥାନରେ ରହିଛି। ବିହାର ବିଧାନସଭାର ୫୮ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଥାଇ ତୃତୀୟ ସ୍ଥାନରେ ରହିଛି। ବିଜାର ୪୦ ପ୍ରତିଶତ ବିଧାୟକଙ୍କ ବିରୋଧରେ ଗମ୍ଭୀର ମାମଲା ରହିଛି। ଦାଗୀ ବିଧାୟକ ମାମଲାରେ ଉତ୍ତରପ୍ରଦେଶ ୪ର୍ଥ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶର ୩୬ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଉତ୍ତରାଖଣ୍ଡର ୩୧ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ପୂର୍ବୋତ୍ତର ରାଜ୍ୟ ଆସାମର ୧୧ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ମହାରାଷ୍ଟ୍ରର ୧୨ ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳାଙ୍କୁ ଅସମ୍ମାନ ଓ ବଳାତ୍କାର ମାମଲା ଦାଏର ହୋଇଛି। ଏହି ମାମଲାରେ ପଶ୍ଚିମବଙ୍ଗର ସାଂସଦ ଓ ବିଧାୟକମାନେ ୨ୟ ସ୍ଥାନରେ ଅଛନ୍ତି। ପଶ୍ଚିମବଙ୍ଗର ୧୧ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ଏହି ମାମଲା ରହିଛି। ଆନ୍ଧ୍ର ପ୍ରଦେଶର ସାଂସଦ ଓ ବିଧାୟକମାନେ ଏହି ମାମଳାରେ ତୃତୀୟ ସ୍ଥାନରେ ଅଛନ୍ତି।

ବିଦ୍ୱେଶ ସୃଷ୍ଟିକାରୀ ଭାଷଣ ଦେବା ମାମଲାରେ ସବୁଠାର ଅଧିକ ୧୫ ଜଣ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ମାମଲା ରହିଛି। ତେଲେଙ୍ଗାନାର ୧୩ଜଣ ନେତାଙ୍କ ବିରୋଧରେ ମାମଲା ଥିବାରୁ ଏହି ରାଜ୍ୟ ୨ୟ ସ୍ଥାନରେ ଓ କର୍ଣ୍ଣାଟକ ୩ୟ ସ୍ଥାନରେ ରହିଛି।

ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଅପହରଣ ଭଳି ମାମଲା ମଧ୍ୟ ରହିଛି। ଅପହରଣ ମାମଲାରେ ବିହାରର ୧୩ଜଣ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ସର୍ବାଧିକ ମାମଲା ରହିଛି। ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ୧୧ଜଣ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଅପହରଣ ମାମଲା ରହିଛି ବୋଲି ଏଡିଆର ସୂତ୍ରରୁ ଜଣାପଡିଛି।

Add a Comment

Your email address will not be published. Required fields are marked *


+ two = 8